ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ଜୀବନୀ
ଉପକ୍ରମ:
ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ, ଛବିଶଟି ଗଡ଼ଜାତ ଭିତରୁ ବଲାଙ୍ଗିର-ପାଟଣା ଗଡ଼ଜାତର ୩୩ତମ ଚୌହାନ ବଂଶୀୟ ରାଜା । ପରବର୍ତ୍ତୀ କାଳରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ତନ କରିଥିଲେ (୧୯୬୭-୧୯୭୧)[୧]।
ରାଜେନ୍ଦ୍ର ନାରାୟଣ ୩୧ ମାର୍ଚ୍ଚ ୧୯୧୨ ମସିହାରେ ଷଢ଼େଇକଳା ରାଜବଂଶରେ ପିତା ଆଦିତ୍ୟ ପ୍ରସାଦ ସିଂହ ଓ ମାଆ ପଦ୍ମିନୀ କୁମାରୀଙ୍କ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ୧ ଜାନୁଆରୀ ୧୯୨୨ରେ ବଲାଙ୍ଗୀର-ପାଟଣାର ନିଃସନ୍ତାନ ରାଜା ପୃଥ୍ୱୀରାଜ ସିଂହଦେଓ ତାଙ୍କୁ ପାଳିତ ପୁତ୍ର ଭାବେ ଗ୍ରହଣ କରିଥିଲେ । ଆଜମେରର ମେୟ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀ ଶିକ୍ଷାପ୍ରାପ୍ତି କରିଥିଲେ । ୨୦ ବର୍ଷ ବୟସରେ ପାତିଆଲା ମହାରାଜଙ୍କର କନ୍ୟା କୈଳାସ କୁମାରୀଙ୍କୁ ବିବାହ କରିଥିଲେ ।
ଶିକ୍ଷା ଓ ସାମାଜିକ ବିକାଶ
ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ। ଟିଟିଲାଗଡ଼ ଉଚ୍ଚ ବିଦ୍ୟାଳୟ ଓ ୧୯୪୪ରେ ବଲାଙ୍ଗୀର ମହାବିଦ୍ୟାଳୟ ଯାହା ପରବର୍ତ୍ତୀ କାଳରେ ରାଜେନ୍ଦ୍ର କଲେଜ ନାମରେ ପରିଚିତ ହୋଇଛି ସେ ଗୁଡ଼ିକ ତାଙ୍କରି ପ୍ରଚେଷ୍ଟା ପ୍ରସୂତ ।
୧୯୪୬ରେ ବଲାଙ୍ଗୀରରେ ଶିକ୍ଷକ ତାଲିମ କେନ୍ଦ୍ର ସ୍ଥାପନ । ମେଧାବୀ ଛାତ୍ର ଓ ହରିଜନ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ । ଅନାଥ ପିଲାମାନଙ୍କର ସମସ୍ତ ଶିକ୍ଷାଭାର ବହନ କରିବା ସହିତ ‘ଅନ୍ନପୂର୍ଣ୍ଣା ଅନାଥାଶ୍ରମ’ ଗଠନ କରିଥିଲେ । ସବର୍ଣ୍ଣ ଅସବର୍ଣ୍ଣର ଭେଦଭାବ ଦୂର କରିବାପାଇଁ ସେ ଗୋଟିଏ ସ୍କୁଲରେ ସବୁ ଜାତିର ପିଲା ପଢ଼ିବେ ବୋଲି ରାଜାଦେଶ ଜାରି କରିବା ସହିତ ହରିଜନ ପିଲାମାନଙ୍କୁ ଉଚ୍ଚ ଜାତିର ସାଙ୍ଗିଆ ବ୍ୟବହାର କରିବାକୁ ଅନୁମତି ଦେଇଥିଲ।



No comments:
Post a Comment